Unknown

 

 

 

 

 

 

 

 

 

ରାମ ଉମା

ଶ୍ରୀ ଗୋଦାବରୀଶ ମହାପାତ୍ର

 

ରାମ ଦିନେ ତା ଭଉଣୀ ଉମା’କୁ ଡାକି କହିଲା, ‘‘ଉମା’ ! ଆମ ବୋଉ ଆଖି ବୁଜିଲା ଦିନଠୁଁ ଆମେ ବଡ଼ ଦୁଃଖରେ ରହିଚେଁ । ଆମ ସାବତ ମା’’ ଆମୁକୁ ଦେଖି ପାରୁନି, ଆଉ ଯାଉଣୁ ଆସୁଣୁ ଖାଲି କୁଟି ପକୋଉଚି । ଆମେ ଖାଇଲେ ପିନ୍ଧିଲେ ତା ଦିହ ସହୁନି । ଆହା ! ବୋଉ ଯେବେ ଜାଣୁଥାନ୍ତା ଆମେ କି ଦୁଃଖରେ ଅଛେ, ତା ମନ କଅଣ ନୋହୁଥାନ୍ତା । ଚାଲ, ଆମେ ଘରୁ ଭାରି ଯିବା ।’’ ଏଇମିତି ବିଚରା ବିଚରି ହେଇ ଦିହେଁ ଯାକ ଘରୁ ବାହାରି ଗଲେ; ସନ୍ଧ୍ୟା ବେଳକୁ ଯାଇ ଏକ ଅଗ୍ନାଗ୍ନ ବନସ୍ତରେ ପହଞ୍ଚିଲେ ! ବାଟ ଚାଲି ଦିହଙ୍କି ଭାରି ବାଧି ଯାଇଥିଲା; ଭୋକରେ ଗୋଟିଏ, ଗଛମୂଳେ ଶୋଇ ପଡ଼ିଲେ ।

 

ଆର ଦିନ ସକାଳୁ ଉଠିଲା ବେଳକୁ ବେଳ ପହରେ ହେଇ ଗଲାଣି । ରାମ କହିଲା, ‘‘ଉମା’, ମତେ ଭାରି ଶୋଷ କରୁଚି, ଚାଲ ସେ ନଈରେ ଯାଇ ମନ୍ଦିଏ ପାଣି ପିଇବା । ନଈ କୂଳରେ ପହଞ୍ଚି ରାମ ପାଣିକି ହାତ ବଢ଼େଇଲା ବେଳକୁ ଉମା’କୁ ଶୁଘିଲା ଯେ, ପାଣି ଭିତରେ କିଏ କହୁଚି, ‘‘ଯିଏ ଏ ପାଣି ପିଇବ ସେ ବାଘ ହେଇଯିବ ।’’ ସେଠୁ ଉମା’ କହିଲା, ‘‘ଭାଇ, ପିଅନି, ପିଅନି । ପିଇଲେ ତମେ ବାଘ ହେଇ ମତେ ମା’ରି ପକେଇବ ସିନା !’’ ରାମ ତଣ୍ଟି ଶୁଖି ଯାଉଥିଲେ କଅଣ ହବ, ସିଏ ଆଉ ପିଇଲାନି । ଦିହେଁ ସାଙ୍ଗ ହେଇ ପୁଣି ବଣରେ ବଣରେ ଗଲେ । ଯାଉ ଯାଉ ଆଉ ଗୋଟିଏ ନଈ ପଡ଼ିଲା । ସେ ନଈ କହୁଚି ଯେ, ‘‘ଯିଏ ମୋ ପାଣି ପିଇବ ସିଏ ଗଧିଆ ହେଇଯିବ-।’’ ଉମା’ ଭାଇକି ତାର ପିଇବାକୁ ମନା କଲାରୁ ଭାଇ ଆଉ ପିଇଲାନି । ହେଲେ କହିଲା ଯେ, ‘‘ଆଉ ନଈ ପଡ଼ିଲେ ତୁ ଯାହା କହ ପଛେ ମୁଁ ନିଶ୍ଚେପିଇବି ।’’

 

ଯାଉ ଯାଉ ବାଟରେ ପୁଣି ଆଉ ଗୋଟେ ନଈ ପଡ଼ିଲା । ସେ ନଈ କହୁଚି ଯେ, ‘‘ଯିଏ ମୋ ପାଣି ପିଇବ ସିଏ ହରିଣ ହେଇଯିବ ।’’ ଉମା’ ୟା ଶୁଣି ଭାଇକି ମନା କଲା, ହେଲେ ଭାଇ ନ ମା’ନି ପିଇ ବସିଲାରୁ ସତକୁ ସତ ହରିଣଟିଏ ହେଇଗଲା । ଉମା’ ଏଇ କଥା ଦେଖି କେତେ କାନ୍ଦିଲା । ପଛକୁ ଆପଣା ବେକରୁ ସୁନା ମା’ଳ ଫିଟେଇ ହରିଣ ବେକରେ ବାନ୍ଧି ଦେଲା, ଆଉ ତାକୁ ଓଡ଼େଇ ଓଡ଼େଇ ବଣେ ବଣେ ଗଲା ।

 

କେତେ ବାଟ ଗଲାରୁ ଗୋଟେ କାହାର କୁଡ଼ିଆ ଘର ପଡ଼ିଲା ଯେ, ସେ କୁଡ଼ଆରେ ମଣିଷର ସୋର ଶବଦ ନାଇଁ । ଉମା’ ସେଇଠି ହରିଣକୁ ଧରି ରହିଲା । ନିତି ସକାଳୁ ଯାଇ ବଣ ଭିତରୁ ଆପଣା ପେଇଁ ଫଳମୂଳ ଆଣେ, ଆଉ ହରିଣଟି ପେଇଁ ଆଣେ କଅଣ ନା, ଘାସ ପତର ଆଉ କଅଁଳ ଡଙ୍କ । ହରିଣ ସୁଖରେ ସବୁ ତା ହାତରୁ ଛଡ଼େଇ ଖାଏ, ଆଉ ତା ଚାରିପଟେ ଡେଉଁଥାଏ । ସନ୍ଧ୍ୟାବେଳେ ଶୋଇଲା ବେଳକୁ ଉମା’ ହରିଣ ଉପରେ ମୁଣ୍ଡ ଦେଇ ତାକୁ ମା’ଣ୍ଡି କରି ଶୁଏ ।

 

ଏଇମିତି କେତେ ଦିନ ରହିଚନ୍ତି, ଦିନେ ସେ ରାଇଜର ରଜା ଅଇଲେ ପାରିଧିକି ! ବଣଯାକ ବାଇଦ ବାଜିଲା, ତୁରୀ ବାଜିଲା, କୁକୁର ଭୁକିଲେ । ୟା ଶୁଣି ହରିଣର ମନ ଉଚ୍ଚଟ ହେଲା-। ସିଏ କହିଲା, ‘‘ଉମା’ ଲୋ, ମତେ ଛାଡ଼ି ଦେ; ମୁଁ ଯାଇ ଦେଖିବି କଣ ହୋଉଚି ।’’ ଉମା’ ଥରେ ଦି ଥର ନାହିଁ କଲା । ପଛକୁ କହିଲା, ‘‘ହଉ ତେବେ ଯା, ହେଲେ, ସଞ୍ଜ ବେଳକୁ ଲେଉଟି ଆସିବୁ । ମୁଁ ଦୁଆର କିଳି ଦେଇଥିବି । ତୁ ଟିପମା’ରି ଡାକିବୁ- ଉମା’, ଦୁଆର ଫିଟା । ମୁଁ ତୁଣ୍ଡ ବାରି ଦୁଆର ଫିଟେଇ ଦେବି ।’’ ଉମା’ ପାଟିରୁ କଥା ସରୁ ନସରୁଣୁ ହରିଣ କୁଆଡ଼େ ଡେଇଁ ଚାଲିଗଲା । ଯାଇ ବଣ ଭିତରେ ହାଜର ହେଲା । ରଜା ହରିଣକୁ ଦେଖି ଗୋଡ଼େଇଲେ । ହେଲେ, ଧରି ପାରିଲେ ନାଇଁ । ହରିଣ କୁଆଡ଼େ ବଣ ବୁଦା ଡେଇଁ ଚାଲିଗଲା, ଆଉ ତା ପତା ମିଳିଲା ନାଇଁ ; ସଞ୍ଜବେଳକୁ ଆସି କୁଡ଼ିଆ ଦୁଆରେ ହାଜର ହେଲା । ଭଉଣୀ ଯିମିତି କହିଥିଲା ଡ଼ାକିଲା, ‘‘ଉମା’, ଦୁଆର ଫିଟା-।’’ ଉମା’ ଦୁଆର ଫିଟେଇ ଆନନ୍ଦଓସ୍ତ ହେଇ ହରିଣକୁ ଘରକୁ ନେଇଗଲା ।

 

ଆରଦିନ ପୁଣି ସକାଳୁ ରଜାଙ୍କ ପାରିଧିରେ ସେଇମିତି ବାଇଦ ବାଜିଲା, ତୁରୀ ବାଜିଲା, କୁକୁର ଭୁକିଲେ । ହରିଣ କହିଲା, ‘‘ଉମା’, ଦୁଆର ଫିଟେଇ ଦେ, ମୁଁ ଯିବି ।’’ ଉମା’ ଦୁଆର ଫିଟେଇ ଦେଇ କହିଲା, ‘‘ସଞ୍ଜବେଳକୁ ଫେରି ଆସିବୁ ।’’ ରଜା ହରିଣକୁ ଦେଖିଲାକ୍ଷଣି ପୁଣି ଗୋଡ଼େଇଲେ । ହେଲେ କଣ ହବ, ଗୋଡ଼େଇ ପାରୁଚନ୍ତି କେତେକେ ? ସକାଳୁ ସଞ୍ଜ ଆସି ହେଲା, ହରିଣ ସିମିତି ବଣଯାକ ଧାଇଁଚି । ପଛକୁ ତା ଗୋଡ଼ରେ ପଟେ କାଣ୍ଡ ବାଜି ଗଲାରୁ ସିଏ ଛୋଟେଇ ଛୋଟେଇ ଘରକୁ ପଳେଇ ଅଇଲା । ରଜା ପଛେ ପଛେ ଗୋଡ଼େଇଲେ । ଆସି ଶୁଣିଲେ ଯେ ହରିଣ କହୁଚି, ‘‘ଉମା’, ଦୁଆର ଫିଟା ।’’ ଉମା’ ଦୁଆର ଫିଟେଇ ହରିଣକୁ ଘରକୁ ନେଇଗଲା । ରଜା ସେ ଦିନ ବାହୁଡ଼ି ଗଲେ ।

 

ହରିଣର ଗୋଡ଼ ଜଖମ୍‍ ହୋଇ ଯିବାର ଦେଖି ଉମା’ ଆଖିରୁ କେତେ ଲୁହ ବୋହିଗଲା-। ସିଏ ଗୋଡ଼ରୁ ରକତ ପୋଛି ପକେଇଲା, ଆଉ ଜଖମ୍‍ ଥାନରେ ବଣସେବତୀ ରସ ଚିପୁଡ଼ି ପକେଇଦେଲା । କହିଲା, ‘‘ଏଥର ଶୋଇ ପଡ଼, କାଲିକି ଭଲ ହେଇ ଯାଇଥିବ ଯେ ।’’ ହରିଣ ନିଘୋଡ଼ ନିଦରେ ଶୋଇ ପଡ଼ିଲା । ଆର ଦିନ ସକାଳୁ ଉଠି ଦେଖେ, ସତକୁ ସତ ଗୋଡ଼ରେ ପ୍ରାସ ପୀଡ଼ା ଆଉ କିଛି ନାଇଁ । ହେଲେ, ପୁଣି ପାରିଧି ଲାଗିଲା । ବାଇଦ, ତୁରୀ ବାଜିଲା, କୁକୁର ଭୁକିଲେ-। ହରିଣ କହିଲା, ‘‘ଉମା’, ଦୁଆର ଫିଟେଇ ଦେ, ମୁଁ ଯିବି ।’’ ଉମା’ ଆଜି ଆଉ ଦୁଆର ଫିଟୋଉଚି କେତେକେ ? ଜମା’ରୁ ମଙ୍ଗିଲା ନାଇଁ । ହରିଣ ଏକା ରିସା ଧରି ବସିଲା-। କହିଲା, ‘‘ମତେ ଛାଡ଼ି ନ ଦେଲେ ମୁଁ ପ୍ରାଣ ହରେଇ ଦେବି ।’’ ସେଠୁ ଉମା’ କେତେ କାନ୍ଦିଲା, କାନ୍ଦି କାନ୍ଦି ଦୁଆର ଫିଟେଇଦେଲା । ହରିଣ ଏକା ଡ଼ିଆଁକେ ଯାଇ କୁଆଡ଼େ ବଣ ଭିତରେ ହାଜର ହେଲା । ରଜା ତାକୁ ଦେଖି ଭାରି ଆନନ୍ଦ ହେଲେ । ହେଲେ, କଅଣ ହବ, ଯେତେ ପଛେ ପଛେ ଗୋଡ଼େଇଲେ, ତାକୁ ଧରି ଆଉ ପାରନ୍ତି ନାଇଁ । ପଛକୁ ବେଳ ବୁଡ଼ି ଅଇଲା । ରଜା ହରିଣକୁ ଛାଡ଼ି ସେ କୁଡ଼ିଆ ଦୁଆରେ ଯାଇ ହାଜର ହେଲେ । ଯିମିତି କହିଲେ, ‘‘ଉମା’ ଦୁଆର ଫିଟା,’’ ଉମା’ ଧଡ଼ ପଡ଼ ହେଇ ଆସି ଦୁଆର ଫିଟେଇ ଦେଖେ ତ, ହରିଣ ଫରିଣ କେହି ନାହାନ୍ତି, ଆଉ କଅଣ ହେଇଚି ନା, ଜଣେ ରଜା ଆସି କୁଡ଼ିଆ ଭିତରେ ଉଭା । ଉମା’କୁ ଭାରି ଡର ମା’ଡ଼ିଲା-। ହେଲେ, ରଜା ତାକୁ କଅଁଳେଇ ସଅଁଳେଇ ଡାକିଲେ, ଆଉ କହଲେ, ‘‘ତୁ ଆ ଆମ ଉଆସକୁ ଯିବୁ, ଆମର ରାଣୀ ହବୁ ।’’ ଉମା’ ଅମଙ୍ଗ ହେଲା ନାଇଁ । ଆଉ ତା ହରିଣଟିକି ସାଙ୍ଗରେ ନବ ବୋଲି ବୋଇଲାରୁ ରଜା ହଁ କଲେ । ସେତିକି ବେଳକୁ ହରିଣ ବଣରୁ ଡେଇଁ ଡେଇଁ ଆସି ପହଞ୍ଚିଲା-। ରଜା ସେ ଦିହିଙ୍କି ଧରି ଆପଣା ଉଆସକୁ ଗଲେ । ତା ବାସିଦିନ ଉମା’ ସାଙ୍ଗରେ ତାଙ୍କର ହାତଗଣ୍ଠି ପଡ଼ିଲା । ଉମା’ ତା ଅଙ୍ଗେ ଲିଭେଇ ଥିବା କଥା ଯାକ ସବୁ କହିଗଲା । ରଜା ତା ସାବତ ମା’’କୁ ଡକେଇ ଆଣି ତାକୁ ତଳ କଣ୍ଟା ଉପର କଣ୍ଟା କରି, ପୋତେଇ ପକେଇଲେ । ରାମ ସିନା ସେ ସାବତ ମା’ କୂଟରେ ହରିଣ ପାଲଟି ଯାଇଥିଲା ; ସିଏ ମରି ଗଲାରୁ ଫେରେ ମଣିଷ ହେଇଗଲା । ଭାଇ ଭଉଣୀ ଆନନ୍ଦଓସ୍ତ ହେଲେ ; ରଜାଙ୍କ ନଅରରେ ରହିଲେ । ମୁଁ ଗଲାରୁ କଥା କହିଲେ ନାଇଁ-

Image